ଧରାକୋଟ : ଧରାକୋଟରେ ଥିବା ଷ୍ଟେଟବ୍ୟାଙ୍କ ଉପରେ ପ୍ରାୟ ୩୦ହଜାରରୁ ଅଧିକ ଗ୍ରାହକ ନିର୍ଭର କରିଥାନ୍ତି। ସ୍ଥାନୀୟ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଦେଣନେଣ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବ୍ୟାଙ୍କ ଅନେକ ସମୟରେ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଏଠାରେ ଥିବା ଏକମାତ୍ର ଏଟିଏମ ମେସିନଟି ପ୍ରାୟ ସମୟରେ ସଟର ପଡିଥିବାର ଦେଖାଯାଉଛି ଓ ବସିବା ଦିନଠାରୁ ଅଚଳ ଅଛି ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ବାହାରେ ଥିବା ପ୍ରିଣ୍ଟିଂଗ ମେସିନଟି ମଧ୍ୟ ସେହିପରି ଅଚଳ ହୋଇଯାଇଛି।
ଦୂରଦୂରାନ୍ତରୁ ଆସୁଥିବା ବ୍ୟାଙ୍କ ଖାତାଧାରୀ ଠିକ ସେବା ନ ପାଇ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ଅନେକ ସମୟରେ କର୍ମଚାରୀମାନେ ଲିଙ୍କ ଫେଲ , ନୋ କ୍ୟାସ ଆଦି ଫଳକ ମାରି ବସିପଡୁଛନ୍ତି। ସେ ସମ୍ପର୍କରେ ଯଦି କୌଣସି ଗ୍ରାହକ ଅଭିଯୋଗ କରୁଛନ୍ତି ତେବେ ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କୁ ନାଲିଆଖି ଦେଖାଇ ଭୟଭୀତ କରୁଛନ୍ତି। ଏସମ୍ପର୍କରେ ଶାଖା ପ୍ରବନ୍ଧକଙ୍କୁ ବାରମ୍ବାର ଅଭିଯୋଗ ପରେ ସେ ଠିକ କରିବାପାଇଁ ଚିଠି ଲେଖିଛୁ କହି ଦାୟିତ୍ବରୁ ଖସି ଯାଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅନେକ ଲୋକ ଧାଡ଼ିବାନ୍ଧି ବହୁ ସମୟ ପର୍ଯ୍ୟନ୍ତ ଠିଆ ହୋଇରହୁଥିଲେ ମଧ୍ୟ ଉପଯୁକ୍ତ ସେବା ନପାଇ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଆଗାମୀ ଦିନରେ ଯଦି ଏହାର ସ୍ଥାୟୀ ପ୍ରତିକାର ନ କରାଯାଏ ତେବେ ଜନସାଧାରଣ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବେ।